ଭୁଲିହୁଏ ନାଁ ଏ ଗାଁ ମା ମାଟି
- ତୁଷାରକାନ୍ତ ବଳବନ୍ତରାୟ
- May 14
- 1 min read
ଯେଉଁଠି ମୁଁ ଟୁକୁ ଟୁକୁ ଶିଖିଲି ଚାଲି
କେମିତି ସେ ମାଟିକୁ ଯିବି ମୁଁ ଭୁଲି?
ଆଜି ଛାଡ଼ି ଗାଆଁ ମାଟିର ସେ ପ୍ରୀତି,
ବିଦେଶ ବୁକୁରେ ଖଟୁଛି ମୁଁ ନିତି।
କାଞ୍ଚନ ମୋହରେ ସହର ଭିଡ଼ରେ
ହଜିଛି ମୋହର ଶୈଶବ ସତରେ
ଅବସର ଟିକେ ମିଳିଗଲେ ସତେ
ଟାଣିଆଣେ ଏ ମାଆମାଟି
ଭୁଲିହୁଏ ନାହିଁ ଏ ଗାଁ ମା ମାଟି,
ଭୁଲିହୁଏ ନାହିଁ ଏ ଗାଁ ମା ମାଟି।
ବାବୁ, ଅଫିସର ହେଲି କି ହାକିମ
ପାଇଲେ ଯେତେ ସମ୍ମାନ,
ହେଲେ ଏଈ ମାଟି ଆଗରେ ମୁଁ ତୁଚ୍ଛ
ଏ ମୋ ପରିଚୟ ସ୍ଥାନ।
ସପତ ସମୁଦ୍ର ବୁଲିଲି ମୁଁ ସତେ
ବୁଲିଲି ଅନେକ ସହର
କିନ୍ତୁ ଗାଁ ଦାଣ୍ଡର ସେଇ ଧୂଳିଖେଳ
ଲାଗେ ସବୁଠୁ ମଧୁର
ଛାତି ଥରେ ମୋର ଯେବେ ମନେପଡ଼େ
ସେଇ ବରଗଛ ମୂଳ
ସାଙ୍ଗସାଥୀ ମେଳେ ନଈପଠା ଖେଳ
ଆଉ ସେ ଶୀତ ସକାଳ
କାହିଁ ପାଇବି ମୁଁ ଏ ସହର ବଜାରେ
ସେ ବଉଳ ଗଛ ସ୍ନେହ?
ଯେତେ ଧନ ଦୌଲତ ଥିଲେ ବି ପାଖେ
ଉଦାସ ରୁହଇ ଦେହ।
ମୋର ଚାଲିବା ବାଟ ଯେଉଁଠି ଇତି,
ସେଇଠୁ ଆରମ୍ଭ ମୋ ମାଟି ଗୀତି
ଶେଷ ନିଶ୍ୱାସ ବି ଖୋଜୁଥିବ ସଦା
ସେଇ ଜନ୍ମମାଟି ସ୍ମୃତି,
ଭୁଲି ହୁଏନା ଏ ଗାଁ ମା ମାଟି
ଭୁଲି ହୁଏନା ଏ ଗାଁ ମା ମାଟି।
ରାଜପ୍ରାସାଦର ସୁଖ ପଛେ ଥାଉ
ମୋ ଏ ଗାଁ ମାଟି ହିଁ ସ୍ୱର୍ଗ,
ସେଇଠି ମୋ ହସ ସେଇଠି ମୋ କାନ୍ଦ
ସିଏ ମୋ ସକଳ ତୀର୍ଥ।
ସକାଳୁ ବାହାରି ଯୁଆଡ଼େ ମୁଁ ଗଲେ
ଟାଣି ଆଣେ ଏଇ ମାଟି,
ଭୁଲି ହୁଏନା ଏ ଗାଁ ମା ମାଟି
ଭୁଲି ହୁଏନା ଏ ଗାଁ ମାଟି।


Comments