ମୋ ଅନନ୍ୟା କେନ୍ଦ୍ରାପଡ଼ା
- ରୀତିକା ପ୍ରଧାନ
- Apr 26
- 1 min read
ସେଠି ସମୟ ଶୋଇଛି ଶ୍ୟାମଳ କୋଳରେ ପ୍ରକୃତିର ପଣତେ, ଶ୍ରୀବଳଦେବଙ୍କ ନୀଳପଦ୍ମ ଶୋଭା, ଝଲସେ ଭକ୍ତିର ପଥେ। କନ୍ଧରା ବିନାଶେ ଯେଉଁ ମାର୍ଟି ହେଲା ପବିତ୍ର ପୁଣ୍ୟ ଧାମ, ସେଇ କେନ୍ଦ୍ରାପଡ଼ା ଆମରି ଗୌରବ, ଆମ ଅନୁରର ନାମ ।.... (୧) ଭିତରକନିକା ତମାଳ ବନରେ ଜହ୍ନ ରାତିର ମାୟା, ହେନ୍ନାଳ ବଣର ନୀଳ ଜଳରାଶି, ସାଜେ ପ୍ରକୃତିର ଛାୟା । ବାଉଁଶରାଣୀର କଳା କଉତୁକେ, ବିହଙ୍ଗର ମଧୁ ସ୍ବର, କୁମ୍ଭୀରର କାୟା, ସବୁଜିମା କାୟା, ସତେ ଅତି ସୁନ୍ଦର। କନିକା ପ୍ରାସାଦ ପଥର କହୁଛି ରାଜକୀୟ ଅଭିଭାଷ, ଅତୀତର ସେହି ସ୍ବର୍ଣ୍ଣିମ ଶିଖା, ଆର୍ଜି ବି ବିକାଶେ ପ୍ରକାଶ ।......(୨) ଗହୀରମଥାର ବେଳାଭୂମି ଦିଏ ସହସ୍ର ସ୍ବପ୍ନର ସାକ୍ଷୀ, ନୂଆ ଜୀବନର ସନ୍ଧାନେ ସେଠି, ଫେରେ ଶାନ୍ତିର ପକ୍ଷୀ। ପେଣ୍ତର ବେଳାରେ ଲହଡ଼ିର ତାଳେ, ସାଗର ଗାଉଛି ଗୀତ, ସାତଭାୟାର ସେ ହଜିଲା ଗ୍ରାମେ, ଲୁଚିଛି ପୁରୁଣା ପ୍ରୀତ ।..... (୩) ରସାବଳିର ସେ ମଧୁର ସ୍ବାଦରେ, ପର ହୁଅଇ ଆପଣା, ମୋ କେନ୍ଦ୍ରାପଡ଼ାର ମହାନ ସଂସ୍କୃତି, ଜଗତେ ଅଟେ ଅନନ୍ୟା। ଇତିହାସ ଏଠି କାନ୍ଥରେ ଲେଖୁଛି, ପୁରାଣ କହୁଛି କଥା, ମୋ ମାଟିର ପଟାନ୍ତର ନାହିଁ, ନଇଁଯାଏ ସଦା ମଥା।..... (୪)


Comments