top of page

ପ୍ରହେଳିକା

ସନ୍ଧ୍ୟା ନଇଁ ଆସୁଥିଲା। ଜଙ୍ଗଲର ନିବିଡ଼ତା ଭିତରେ ସୂର୍ଯ୍ୟଙ୍କ ଶେଷ କିରଣ ଟିକକ ହଜିଯିବା ପୂର୍ବରୁ ପ୍ରକୃତି ଯେମିତି ଏକ ଗମ୍ଭୀର ନୀରବତାର ଓଢଣା ଢାଙ୍କି ହୋଇଗଲା। ଗଛର ପତ୍ରଗୁଡ଼ିକ ସ୍ଥିର, କେଉଁଠି ହେଲେ ପକ୍ଷୀଙ୍କ କାକଳି ଶୁଭୁନଥିଲା। ମୁଁ ଜଙ୍ଗଲ ପାଖ ଦେଇ ଯାଇଥିବା ସେଇ ପୁରୁଣା ପକ୍କା ରାସ୍ତାରେ ସମ୍ପୂର୍ଣ୍ଣ ଏକା ଚାଲୁଥିଲି।

ଠିକ୍ ସେତିକିବେଳେ ଗୋଟିଏ କଳା ବିଲେଇ ମୋ ସାମ୍ନାରେ ରାସ୍ତା ଅତିକ୍ରମ କରିଗଲା। ମୁଁ ସାମାନ୍ୟ ଅଟକି ଗଲି। କେଉଁ ଏକ ଅଜଣା ଅନ୍ଧବିଶ୍ୱାସ ମୋ ପାଦକୁ ସେଇଠି ବାନ୍ଧିଦେଲା। ବିଲେଇଟି ରାସ୍ତା କାଟିଲା ବେଳେ ତା’ର ଚାଲିରେ କୌଣସି ଦ୍ୱନ୍ଦ୍ୱ ନଥିଲା; ସେ ନିଜ ଲକ୍ଷ୍ୟ ପଥରେ ସ୍ଥିର ଥିଲା। କିନ୍ତୁ ମୁଁ? ଜଣେ ସର୍ବଶ୍ରେଷ୍ଠ ଜୀବ ହୋଇ ମଧ୍ୟ ଗୋଟିଏ କ୍ଷୁଦ୍ର ପ୍ରାଣୀର ଗତିବିଧି ଦେଖି ନିଜର ଆତ୍ମବିଶ୍ୱାସ ହରାଇ ବସିଲି।

ମନରେ ପ୍ରଶ୍ନ ଉଠିଲା  ଅଶୁଭ କିଏ ? ସେହି ଜୀବଟି, ନା ମୋ ମନର ସେହି ଭୟ ? ନା ସେହି ସମାଜ, ଯିଏ ମତେ ଏହି ଅନ୍ଧବିଶ୍ୱାସ ଶିଖେଇଛି ?

ଲୋକବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ଲୋକବିଶ୍ୱାସ ଶୃଙ୍ଖଳିତ କରେ, ମାତ୍ର ଅନ୍ଧବିଶ୍ୱାସ ହେଉଛି ଏକ ସାମାଜିକ ବ୍ୟାଧି—ଯାହା କେବଳ ଭୟ ଓ ଅଜ୍ଞାନତା ଉପରେ ଆଧାରିତ।

ସେତେବେଳକୁ ଶୀତ ମାଡ଼ି ଆସୁଥାଏ। ଚାରିଆଡ଼େ କୁହୁଡ଼ିର ଏକ ଧଳା ଚାଦର ଘୋଡ଼େଇ ହୋଇ ରହିଥାଏ। ଉତ୍ତରା ପବନର ସେହି ହାଡଭଙ୍ଗା ଶୀତରେ ଶରୀର ସିନା ଥରୁଥାଏ, କିନ୍ତୁ ପ୍ରକୃତିର ସେହି ରୂପ ବଡ଼ ଅଦ୍ଭୁତ ଦେଶୁଥାଏ। କୁହାଯାଏ, ଶୀତରେ ଅତ୍ୟଧିକ ତୁଷାରପାତ ଯୋଗୁଁ ପଦ୍ମ ବନ ପୋଡ଼ିଯାଏ । ଯେଉଁ ପଦ୍ମ ସୂର୍ଯ୍ୟଙ୍କ କିରଣରେ ହସୁଥାଏ, ତାହା ଶୀତର ପ୍ରକୋପରେ କଳା ପଡ଼ି ଶେଷ ହୋଇଯାଏ।

କିନ୍ତୁ ସେହି କଳା ବିଲେଇଟି ? ସେ ପଦ୍ମ ପରି କୋମଳ ନଥିଲା, ସେ ଥିଲା ଅବିଚଳିତ। ତା’ର ରାଜକୀୟ ଢଙ୍ଗୀ ଓ ଚକ୍‌ଚକ୍ କରୁଥିବା ଦୁଇଟି ଆଖି ଅନ୍ଧାର ଭିତରେ ଦୁଇଟି ହୀରା  ଭଳି ଚମକୁଥିଲା। ସେ ମୋ ଆଡ଼କୁ ଚାହିଁଲା, ସେ ଚାହାଣିରେ ଭୟ ନଥିଲା, ଥିଲା ଏକ ଗଭୀର ଆତ୍ମବିଶ୍ୱାସ।

ମୁଁ ଅଜାଣତରେ ତା’ ପଛେ ପଛେ ଚାଲିବାକୁ ଲାଗିଲି। ଚାଲୁ ଚାଲୁ ସେ ଏକ ପୁରୁଣା ପରିତ୍ୟକ୍ତ ବଗିଚା ପାଖରେ ଅଟକି ଗଲା। ସେଠାରେ ଥିବା ଏକ ବଡ଼ ପଥର ଉପରେ ବସି ସେ ଆକାଶର ଜହ୍ନକୁ ଚାହିଁ ଏକ ବିଚିତ୍ର ସ୍ୱରରେ ଗର୍ଜନ କଲା। ହଠାତ୍ ମୋର ନଜର ପଡ଼ିଲା ସେହି ପଥର ତଳେ ଥିବା ଏକ ଅଧାଖୋଲା ଧୂଳି ଧୂସରିତ ବାକ୍ସ ଉପରେ।

ଗାଁର ବୟସ୍କ ଲୋକମାନେ କୁହନ୍ତି, ଏହି ବିଲେଇଟି ସାଧାରଣ ନୁହେଁ। ସେ ସମୟର ଏକ ସଙ୍କେତ। ସେ କେବଳ ସେହିମାନଙ୍କ ସାମ୍ନାକୁ ଆସେ, ଯେଉଁମାନଙ୍କ ମନରେ କିଛି ପାପ ବା ଛଳନା ଥାଏ। ମୁଁ ଯେତେବେଳେ କମ୍ପିତ ହାତରେ ସେହି ପୁରୁଣା ବାକ୍ସଟିକୁ ଖୋଲିଲି, ଏକ ଅଜବ ପ୍ରକାରର ଥଣ୍ଡା ପବନ ମୋତେ ଛୁଇଁଗଲା। ବାକ୍ସ ଭିତରେ ଥିଲା ଗୋଟିଏ ପୁରୁଣା ପିତ୍ତଳ ଆଇନା ଓ ଗୋଟିଏ ଅଧଜଳା ଚିଠି।

ଚିଠିରେ ଲେଖାଥିଲା , ଯିଏ ନିଜ ଭିତରର ଅନ୍ଧାରକୁ ଦେଖିବାକୁ ଡରେ, ସେ ବାହାରର ଅନ୍ଧାରକୁ ଅଶୁଭ ବୋଲି କହେ।

ମୁଁ ଯେତେବେଳେ ସେହି ପିତ୍ତଳ ଆଇନାକୁ ଦେଖିଲି, ଆଶ୍ଚର୍ଯ୍ୟରେ ମୋ ହାତରୁ ବାକ୍ସଟି ଖସି ପଡ଼ିଲା। ଆଇନାରେ ମୋ ଚେହେରା ନୁହେଁ, ବରଂ କେତେ ବର୍ଷ ତଳର ଏକ ଦୃଶ୍ୟ ଦେଖାଯାଉଥିଲା। ଜଣେ ନିଷ୍ଠୁର ଜମିଦାର ଏକ ନିରୀହ ପରିବାରକୁ ଘରୁ ବାହାର କରିଦେଉଥିଲେ ,ଗାଁ ଲୋକେ କେହି ବାଧା ଦେଲେ ନାହିଁ ' ମୌନେ ସମ୍ମତି ଲକ୍ଷଣମ ' , ଆଉ ସେହି ପରିବାରର ଏକ କୁନି ଝିଅ ତା'ର ପ୍ରିୟ କଳା ବିଲେଇକୁ ଧରି କାନ୍ଦୁଥିଲା। ସମୟସ୍ରୋତରେ କଣହେଲା କେଜାଣି କିନ୍ତୁ ରହିଗଲା କେବଳ ସେହି କଳା ବିଲେଇ ।  ଲୋକମାନେ ନିଜର ସେହି ଅପରାଧବୋଧକୁ ସହି ନପାରି ବିଲେଇଟିକୁ ଅଶୁଭ ର ଆଖ୍ୟା ଦେଇଦେଇଥିଲେ। ଯାହାଦ୍ୱାରା ତାଙ୍କ ଭୁଲ ଲୁଚିରହିଗଲା ଏକ ରହସ୍ୟ ଭିତରେ  

ମୁଁ ମୋ ରୁମାଲ୍ ବାହାର କରି ସେହି ପୁରୁଣା ଆଇନାକୁ ଧୀରେ ଧୀରେ ପୋଛିବାକୁ ଲାଗିଲି। ବହୁ ବର୍ଷର କଳଙ୍କି ଛାଡ଼ିବା ମାତ୍ରେ ସେଥିରୁ ଏକ ଦିବ୍ୟ ଆଲୋକ ବାହାରିଲା। ସେହି ମୁହୂର୍ତ୍ତରେ କଳା ବିଲେଇଟି ମୋ ପାଖକୁ ଆସି ମୋ ଗୋଡ଼ରେ ତାର ଦେହ ଘଷିବାକୁ ଲାଗିଲା। ସତେ ଯେମିତି ସେ ତା’ର ଶହେ ବର୍ଷର ବୋଝରୁ ମୁକ୍ତ ହୋଇସାରିଛି।

ସକାଳର ପ୍ରଥମ କିରଣରେ ମୁଁ ଦେଖିଲି, ବିଲେଇଟିର ଲୋମଗୁଡ଼ିକ ଏବେ ସୁନା ଭଳି ଚମକୁଥିଲା। ସେ ଆଉ 'ଅଶୁଭ' ନଥିଲା , ଥିଲା ଏକ ସୁନ୍ଦର ନିରୀହ ପ୍ରାଣୀ।

ପ୍ରକୃତି କେବେ ବି ଅଶୁଭ ନୁହେଁ। ଅଶୁଭ ହେଉଛି ଆମର ସେହି ସଂକୁଚିତ ଦୃଷ୍ଟିକୋଣ। ପଦ୍ମଫୁଲଟିଏ ଶୀତରେ ଝାଉଁଳି ଯିବା ଯେତିକି ସ୍ୱାଭାବିକ, ବିଲେଇଟିଏ ରାସ୍ତା କାଟିବା ମଧ୍ୟ ସେତିକି ପ୍ରାକୃତିକ। ସେଦିନ ମୋ ଭିତରେ ଥିବା ଅନ୍ଧବିଶ୍ୱାସର ପଦ୍ମବନ ସଦାଦିନ ପାଇଁ ପୋଡ଼ି ପାଉଁଶ ହୋଇଗଲା ଏବଂ ଜନ୍ମ ନେଲା ଏକ ନୂତନ ବିଶ୍ୱାସ।

Recent Posts

See All
ତ୍ୟାଗ ଓ ଭଲ ପାଇବା

ଥରେ ଗୋଟିଏ ପୁଅ ଏବଂ ଝିଅ ପ୍ରେମରେ ପଡିଗଲେ। କିନ୍ତୁ ଝିଅର ପିତାମାତା ଏହି ସମ୍ପର୍କରେ ଖୁସି ନଥିେଲେ। ତେଣୁ ପୁଅଟି କେବଳ ଝିଅ କୁ ନୁହେଁ ଵରଂ ତାଙ୍କର ପିତାମାତାଙ୍କୁ ମଧ୍ଯ ମନେଇବାକୁ ସ୍ଥିର କଲା।ସମୟକ୍ରମେ ଝିଅ ର ପିତାମାତା ଅନୁଭବ କଲେ

 
 
 
ଏ ସମ୍ପର୍କ ହୃଦୟର

ବାପା ମା'ଙ୍କର ଗେଲ୍ଲୀ ବସରର ଏକମାତ୍ର ଅଲୀଅଳି ଝିଅ ଥିଲା ସ୍ନେହା ।ଗହମ ରଂଗ ର ଗୋରା ଦେହ କୁ କଳା ଘନ କେଶ ।ସମୁଦ୍ର ପରି ଢଳ ଢଳ କଥା କୁହା ଆଖି ।ଗୋଲ୍ ମୁହଁ...

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page