top of page

ଏ ସମ୍ପର୍କ ହୃଦୟର

  • Writer: ସଂଯୁକ୍ତା ପୃଷ୍ଟି
    ସଂଯୁକ୍ତା ପୃଷ୍ଟି
  • Sep 9
  • 8 min read

ବାପା ମା'ଙ୍କର ଗେଲ୍ଲୀ ବସରର ଏକମାତ୍ର ଅଲୀଅଳି ଝିଅ ଥିଲା ସ୍ନେହା ।ଗହମ ରଂଗ ର ଗୋରା ଦେହ କୁ କଳା ଘନ କେଶ ।ସମୁଦ୍ର ପରି ଢଳ ଢଳ କଥା କୁହା ଆଖି ।ଗୋଲ୍ ମୁହଁ ସାଙ୍ଗକୁ ଲମ୍ବା ନାକ ଏବଂ ଗୋଲାପୀ ଓଠ ବେଶ୍ ମାନୁଥିଲା ।ଭାରି ସରଳ ଝିଅ ଟିଏ ସ୍ନେହା ।ଘରର ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନଥିବାରୁ ଗ୍ରାଜୁଏସନ୍ ପରେ ଆଉ ଆଗକୁ ପଢି ପାରିଲା ନାହିଁ । ତା ପାଇଁ ବହୁତ ଧନୀ ଘରୁ ପ୍ରସ୍ତାବ ଆସୁଥିଲା ତାର ସୁନ୍ଦରତା ପାଇଁ ।କିନ୍ତୁ ଘରର ଆର୍ଥିକ ଅବସ୍ଥା ପାଇଁ ସବୁ ପ୍ରସ୍ତାବ ଭାଙ୍ଗି ଯାଉଥିଲା ।ସ୍ନେହା ର ଜଣେ ସଂପର୍କୀୟ ମାଉସୀ ଗୋଟିଏ ଭଲ ପ୍ରସ୍ତାବ ନେଇ ଆସିଥିଲେ ।ପୁଅ ଘର ସ୍ନେହା ଘରର ଅବସ୍ଥା ବିଷୟରେ ଜାଣି ମଧ୍ୟ ଏ ପ୍ରସ୍ତାବ ପାଇଁ ରାଜି ହୋଇଥିବା କଥା ଶୁଣି ବହୁତ ଖୁସି ହୋଇଥିଲେ ସ୍ନେହା ର ବାପା 😊। ଧାର୍ଯ୍ୟ ହୋଇଥିବା ଦିନରେ ପୁଅ ଘର ଲୋକେ ଆସି ସ୍ନେହା କୁ ଦେଖିଲେ ।ସେ ପିଲା ଓ ସ୍ନେହା ଙ୍କୁ ଗୋଟିଏ ଅଲଗା ରୁମ୍ ଛାଡ଼ି ଦେଲେ ସ୍ନେହା ର ମାଉସୀ କଥା ହେବା ପାଇଁ ।ସ୍ନେହା ଡରରେ ବରଡା ପତ୍ର ଭଳି ଥରୁ ଥିଲା ।ସ୍ନେହା ର ଅବସ୍ଥା କୁ ବୁଝି ପାରି ସେ ପିଲା ନିଜ ଆଡୁ କଥା ଆରମ୍ଭ କରିଲେ ।ତାଙ୍କ କଥାରୁ ସ୍ନେହା ଜାଣିଲା ଯେ ତାଙ୍କ ନାମ ସୀତାଂଶୁ ବୋଲି ।ସେ ଜଣେ ହାଇ ସ୍କୁଲ୍ ଶିକ୍ଷକ ।ସେ ସ୍ନେହା ସହ ଅନର୍ଗଳ ଗପି ଚାଲୁଥିଲେ ।କିନ୍ତୁ ସ୍ନେହା ଲାଜ ଆଉ ଡରରେ ମୁହଁ ଉପରକୁ ଉଠାଉ ନ ଥିଲା । ଶେଷରେ ସୀତାଂଶୁ କହିଲେ, "ଆରେ ତୁମେ ମୋତେ ଦେଖୁନ କ'ଣ ପାଇଁ ? ଅବଶ୍ୟ ମୁଁ ଏତେ ସୁନ୍ଦର ନୁହେଁ କିନ୍ତୁ ଏତେ ଖରାପ ବି ନୁହେଁ ଦେଖିବାକୁ ।" ସ୍ନେହା ବାଧ୍ୟ ହୋଇ ଦେଖିଲା ସୀତାଂଶୁ ଙ୍କୁ ।ସ୍ନେହା ସ୍ବପ୍ନରେ ବି ଭାବି ନ ଥିଲା କେବେ ସୀତାଂଶୁ ଦେଖିବାକୁ ଏମିତି ହୋଇଥିବେ ବୋଲି ।ସ୍ନେହା ତାଙ୍କ ସୁନ୍ଦରତା ଆଗରେ ଫିକା ପଡି ଯାଉଥିଲା । ପୁରା ରାଜକୁମାର ଙ୍କ ଭଳି ଚେହେରା । ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେଉଥିଲା ।ସୀତାଂଶୁ କ'ଣ ସ୍ନେହା କୁ ଦେଖିବେ ବରଂ ସୀତାଂଶୁ ଙ୍କୁ ଦେଖି ସ୍ନେହା ର ଆଖିର ପଲକ ପଡୁ ନ ଥିଲା ।କିଛି ସମୟ ଦୁହେଁ କଥା ହୋଇ ଫେରି ଆସିଲେ ସମସ୍ତ ଙ୍କ ପାଖକୁ ।ସେମାନେ ଏ ପ୍ରସ୍ତାବ ରେ ରାଜି ବୋଲି ସମ୍ମତି ପ୍ରଦାନ କରିଲେ ।କିନ୍ତୁ ସ୍ନେହା ର ବାପା କିଛି କହିବେ କହିବେ ହୋଇ କହି ପାରୁ ନ ଥିଲେ ।ସୀତାଂଶୁ ଙ୍କର ବାପା ତାଙ୍କ ମନ କଥା ବୁଝି ପାରି କହିଲେ, ସମୁଦୀ ଆପଣ ଚିନ୍ତା କରନ୍ତୁ ନାହିଁ, ଆମର କିଛି ଯୌତୁକ ଆବଶ୍ୟକ ନାହିଁ କେବଳ ସ୍ନେହା ହିଁ ଆମକୁ ଦରକାର । ଗୋଟିଏ ମାସ ମଧ୍ୟରେ ସ୍ନେହା ଓ ସୀତାଂଶୁ ଙ୍କର ବାହାଘର ଖୁବ୍ ଆଡମ୍ବର ରେ ହୋଇଥିଲା ।ସ୍ନେହା ଯେମିତି ସୀତାଂଶୁ ଙ୍କୁ ଭାବୁଥିଲା କିନ୍ତୁ ସେ ପୁରା ଓଲଟା ଥିଲେ ।ସ୍ନେହା ଭାବୁଥିଲା ସୀତାଂଶୁ ବହୁତ ଅହଂକାରୀ ଓ ରାଗି ସ୍ବଭାବ ର ମଣିଷ ବୋଲି ।କିନ୍ତୁ ବିବାହ ପରେ ଜାଣିଲା ଯେ ସୀତାଂଶୁ ଙ୍କ ପାଖରେ ଅହଂକାର ର ଅ ଅକ୍ଷର ମଧ୍ୟ ନଥିଲା ।ସେ ଖୁବ୍ ଶାନ୍ତ ସ୍ବଭାବ ର ମଣିଷ ଥିଲେ ।ରାଗିବା ତ ତାଙ୍କ ନିୟତି ରେ ନଥିଲା ସ୍ନେହା ର ଶାଶୁ ଶଶୁର ମଧ୍ୟ ବହୁତ ଭଲ ମଣିଷ ଥିଲେ ।ସେମାନେ ସ୍ନେହା କୁ ବୋହୂ ନୁହେଁ ବରଂ ଝିଅ ଭଳି ଭଲ ପାଉଥିଲେ ।ତାର ସବୁ ଦୋଷ କୁ କ୍ଷମା କରି ଦେଉଥିଲେ ।ସ୍ନେହା ମଧ୍ୟ ତା ଶାଶୁ ଶଶୁର ଙ୍କୁ ନିଜ ବାପା ମା ଙ୍କ ଭଳି ଭକ୍ତି, ସମ୍ମାନ ଏବଂ ସେବା କରୁଥିଲା । ଦେଖୁ ଦେଖୁ ସ୍ନେହା ଓ ସୀତାଂଶୁ ର ବିବାହ କୁ ବର୍ଷେ ପୁରି ଗଲାଣି ।ସ୍ନେହା ର ଦିନ ଗୁଡିକ ବହୁତ ହସ ଖୁସି ରେ କଟି ଯାଉଥିଲା । କିନ୍ତୁ ସ୍ନେହା ର ହସ ଖୁସି ସଂସାର ଉପରେ କାହାର ଖରାପ ନଜର ଲାଗି ଗଲା ବୋଧେ ତାଙ୍କରସୁଖ ର ଦୁନିଆରେ ଦୁଃଖ ର କଳା ବାଦଲ ଘଟି ଆସିଲା । ଦିନେ ସ୍ନେହା ରୋଷେଇ କରୁ କରୁ ହଠାତ୍ ତାର ମୁଣ୍ଡ ବୁଲେଇ ବାରେ ଲାଗିଲା ଏବଂ ପଡି ଯାଉ ଯାଉ ସୀତାଂଶୁ ଆସି ଧରିନେଲେ ତାକୁ ।ସୀତାଂଶୁ ସ୍ନେହା କୁ ନେଇ ସଂଗେ ସଂଗେ ମେଡିକାଲ ଗଲେ ।ଡାକ୍ତର ବିଭିନ୍ନ ଟେଷ୍ଟ କରି ସାରି ସୀତାଂଶୁ ଙ୍କୁ ଯାହା କହିଲେ ତାହା ଶୁଣି ସୀତାଂଶୁ ର ପାଦ ତଳୁ ମାଟି ଖସି ଗଲା । ତାଙ୍କର ମୁଣ୍ଡ କାମ କରିଲା ନାହିଁ ।ସେ କ'ଣ କରିବେ କିଛି ବୁଝି ପାରିଲେ ନାହିଁ ।ସ୍ନେହା ର ଚେତା ଆସିବା ପରେ ନର୍ସ ଆସି ସୀତାଂଶୁ ଙ୍କୁ ଡାକି ଦେଲେ ।ସୀତାଂଶୁ ଜୋର ଜବରଦସ୍ତି ନିଜ ମୁହଁ ରେ ହସ ଫୁଟାଇ ସ୍ନେହା ପାଖକୁ ଗଲେ ।ସ୍ନେହା ସୀତାଂଶୁ ଙ୍କୁ ଦେଖି ଭୟରେ ଜାବୁଡି ଧରି କାନ୍ଦିବାକୁ ଲାଗିଲା ।ସୀତାଂଶୁ ସ୍ନେହା କୁ ଅଭୟ ଦେଇ କହିଲେ, ଆରେ ଏମିତି ଛୋଟ ଛୁଆ ଙ୍କ ପରି କାନ୍ଦୁଛ କାହିଁକି ?? ତୁମର କିଛି ହୋଇ ନାହିଁ ।ଖାଲି ଦୁର୍ବଳତା ପାଇଁ ମୁଣ୍ଡ ବୁଲେଇ ଦେଇଥିଲା ।ସେ ସ୍ନେହାକୁ ତ ବୁଝେଇ ଦେଲେ କିନ୍ତୁ ନିଜ ମନକୁ କେମିତି ବୁଝେଇବେ ।ସୀତାଂଶୁ ଡାକ୍ତର ଙ୍କ ପାଖରୁ ସବୁ ରିପୋର୍ଟ ନେଇ ଆସି ସ୍ନେହା ସହ ଘରକୁ ଫେରି ଆସିଥିଲେ । ସେଦିନ ସଂଧ୍ୟା ବେଳେ ସ୍ନେହା ତା ଶାଶୁ ଙ୍କ ସହ ବସି ଟି.ଭି ଦେଖୁଥିଲା । ତା ଶାଶୁ ଙ୍କର ଫୋନ୍ ଆସିଲା ।ସ୍ନେହା କଥାବାର୍ତ୍ତା ରୁ ଜାଣିଲା ଯେ ତା ମାଉସୀ ଶାଶୁ ଫୋନ୍ କରିଛନ୍ତି ବୋଲି ।କଥା ହେଉ ହେଉ ସ୍ନେହା ର ଶାଶୁ ଟିକିଏ ମୁହଁ ଶୁଖାଇ ମନ ଦୁଃଖ କରି କହିଲେ, "ଯାହା ହେଉ ତୋ ସୌଭାଗ୍ୟ ରେ ଅପା ।ଦ୍ବିତୀୟ ଥର ପାଇଁ ଜେଜେ ମା ହେବା ର ସୁଯୋଗ ପାଇଲୁ ।କିନ୍ତୁ ମୋ ଦୁଃଖ ବା କିଏ ବୁଝୁଛି ?? ଏ ପର୍ଯ୍ୟନ୍ତ ବି ମୋତେ ଜେଜେ ମା ହେବାର ସୌଭାଗ୍ଯ ରୁ ବଂଚିତ କରୁଛନ୍ତି ।କେଜାଣି ମରିବା ପୂର୍ବ ରୁ ଜେଜେ ମା ଡାକ ଶୁଣି ପାରିବି କି ନାହିଁ ।" ସ୍ନେହା ଶାଶୁ ଙ୍କ କଥା ଶୁଣି ଲାଜରେ ସେଠାରୁ ତା ରୁମ୍ କୁ ପଳାଇ ଆସିଲା ।କିନ୍ତୁ ରୁମ୍ ରେ ସୀତାଂଶୁ ଙ୍କୁ ଦେଖି ସେ ପାଦ ଆଗକୁ ବଢାଇ ପାରୁ ନ ଥିଲା କି ପଛକୁ ଫେରି ପାରୁ ନ ଥିଲା ଲାଜରେ ।ସେ ସେମିତି ଖୁଣ୍ଟଟି ପରି ଛିଡା ହୋଇ ରହିଥିଲା ।ସୀତାଂଶୁ ସ୍ନେହା ର ଲାଜ ମିଶା ହସକୁ ଦେଖି ତାକୁ ପଚାରିଲେ କଣ ହେଲା ବୋଲି ।ସ୍ନେହା ଲାଜ ଓ ଭୟ ମିଶା ସ୍ବରରେ ସବୁ କଥା କହିଲା ।ହଠାତ୍ ସ୍ନେହା ମୁହଁ ରୁ ଛୁଆ କଥା ଶୁଣି ସୀତାଂଶୁ ଙ୍କ ମୁହଁ ରେ ଦୁଃଖ ର ଛାୟା ଖେଳିଗଲା 😔।କିନ୍ତୁ ନିଜ ଦୁଃଖ କୁ ନିୟନ୍ତ୍ରଣ ରେ ରଖି ସେ ସ୍ନେହା କୁ ଦେଖି ଟିକିଏ ହସି ଦେଲେ 🙂।ସ୍ନେହା କ'ଣ ବୁଝିଲା କେଜାଣି ଖୁସି ଓ ଲାଜ ରେ ସେଠାରୁ ଦୌଡି ପଳାଇଲା। କିଛି ଦିନ ପରେ ସୀତାଂଶୁ କିଛି କାମରେ ଭୂବନେଶ୍ବର ଗଲେ ।ସ୍ନେହା ସେଦିନ ସଂଧ୍ୟା ବେଳେ ବସି ବସି ବୋର୍ ହେଉଥିଲା ତେଣୁ ଭାବିଲା ସୀତାଂଶୁ ଙ୍କ ବହି ଥାକଟି ସଜାଡି ଦେବ ବୋଲି ।ସେ ବହି ଗୁଡିକ ରୁ ଧୂଳି ଝାଡିବା ସମୟ ରେ ଗୋଟିଏ ଲଫାପା ତଳେ ପଡିଗଲା ।ସେ ଲଫାପା ଟିକୁ ରଖୁ ରଖୁ ତା ନଜର ପଡିଗଲା ସେଦିନ ଯାଇଥିବା ମେଡିକାଲର ନାମ ଉପରେ ।ସ୍ନେହା ପୂର୍ବ ରୁ ବହୁତ ଥର ସୀତାଂଶୁ ଙ୍କୁ ରିପୋର୍ଟ ମାଗିଛି କିନ୍ତୁ ସୀତାଂଶୁ କିଛି ନା କିଛି ବାହାନା କରି ତାକୁ ଭୁଲାଇ ଦେଉଥିଲେ ।ସ୍ନେହା ଆଉ ବିଳମ୍ବ ନ କରି ଖୋଲି ପଢିବାକୁ ଲାଗିଲା ।ସେ ରିପୋର୍ଟ ରେ ଯାହା ଦେଖିଲା ସେ ନିଜ ଆଖି କୁ ମଧ୍ୟ ବିଶ୍ବାସ କରି ପାରିଲା ନାହିଁ ।ସେ ରିପୋର୍ଟ ରେ ଲେଖା ଥିଲା ସ୍ନେହା କେବେ ବି ମାଆ ହୋଇ ପାରିବ ନାହିଁ । ତା ହୃଦୟ ହାହାକାର ହୋଇ ଉଠିଲା ।ତା ଆଖି ରୁ ଟୋପା ଟୋପା ହୋଇ ଲୁହର ବନ୍ୟା ଆସିଗଲା 😭😭।ତାକୁ କେଉଁ ଭୁଲ୍ ର ଶାସ୍ତି ମିଳୁଛି ।ତା ମାତୃ ହୃଦୟ ଜଳି ପୋଡି ପାଉଁଶ ହୋଇ ଯାଉଛି ।ଠିକ୍ ଏତିକି ବେଳକୁ ସୀତାଂଶୁ ଙ୍କ ପାଟି ଶୁଣି ସ୍ନେହା ରିପୋର୍ଟ ଟି କୁ ଯଥା ସ୍ଥାନରେ ରଖି ନିଜ ଲୁହ କୁ କାନି ରେ ପୋଛି ପୂର୍ବାବସ୍ଥାକୁ ଫେରି ଆସିଲା । ସୀତାଂଶୁ ରୁମ୍ କୁ ପଶି ଆସି ସ୍ନେହା ର ଆଖି ଦେଖି ଦେଖି ଜାଣି ପାରିଲେ ଯେ ସ୍ନେହା କାନ୍ଦୁଥିଲା ବୋଲି ।କିନ୍ତୁ ସେ ବୁଝି ପାରୁ ନ ଥିଲେ ସ୍ନେହା କଣ ପାଇଁ କାନ୍ଦୁଥିଲା ।ସ୍ନେହା କିଛି ନ କହି ସୀତାଂଶୁ ଙ୍କ ପାଇଁ ପାଣି ଆଣିବା କୁ ଚାଲିଗଲା ।ସେଦିନ ରାତିରେ ମଧ୍ୟ ସେ ସୀତାଂଶୁ ଙ୍କ ସହ କଥା ହେଲା ନାହିଁ🤫 ।ସୀତାଂଶୁ ସ୍ନେହା ର ଏପରି ବ୍ୟବହାର ରେ ଖୁବ୍ ମର୍ମାହତ ହେଲେ । ସେଦିନ ପାଖରୁ ସ୍ନେହା ସୀତାଂଶୁ ଙ୍କ ସହ ବହୁତ କମ୍ କଥା ହେଉଥିଲା । ସବୁବେଳେ ଏକା ଚୁପ୍ ଚାପ୍ ବସୁଥିଲା ସବୁବେଳେ ତା ଆଖି ଛଳ ଛଳ ହୋଇ ରହୁଥିଲା ।ଦିନକୁ ଦିନ ଶୁଖି କଳାକାଠ ଦେଖା ଯାଉଥିଲା ।ସୀତାଂଶୁ ବହୁତ ବ୍ୟଥିତ ହେଉଥିଲେ ସ୍ନେହା ର ଏପରି ଅବସ୍ଥା ଦେଖି ।😔😔 ସେଦିନ ରାତି ସ୍ନେହା ଗୋଟିଏ ବହୁତ ବଡ ନିଷ୍ପତ୍ତି ନେଲା ।ସେ ସୀତାଂଶୁ ଙ୍କ ଶୋଇବା ପରେ ଗୋଟିଏ ପେପର୍ ରେ କିଛି ଲେଖି ସୀତାଂଶୁ ଙ୍କ ଫୋନ୍ ଉପରେ ରଖି ଦେଲା ।ସକାଳୁ ସୀତାଂଶୁ ଉଠି ନିଜ ଫୋନ୍ ଉପରେ କାଗଜ ଦେଖି ପଢିବାକୁ ଲାଗିଲେ ।ସେ ଚିଠି ଟିକୁ ପଢି ସାରିଲା ବେଳକୁ ତାଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା ।ସେ ବୁଝି ସାରିଥିଲେ ଯେ ସ୍ନେହା ସବୁ କିଛି ଜାଣି ସାରିଛି ।ସ୍ନେହା ଚିଠି ରେ ସୀତାଂଶୁ ଙ୍କୁ ଦ୍ବିତୀୟ ଥର ବିବାହ ପାଇଁ ଅନୁରୋଧ କରିଥିଲା ।ସେଦିନ ଦିନ ସାରା ସୀତାଂଶୁ ସ୍କୁଲ ରେ କ୍ଲାସ୍ କରି ପାରି ନଥିଲେ କି ସ୍ନେହା ମଧ୍ୟ ଘରେ କିଛି କାମ କରି ପାରୁ ନଥିଲା ।ସ୍ନେହା ସିନା ବାଧ୍ୟ ହୋଇ ସୀତାଂଶୁ, ଶାଶୁ, ଶଶୁର ଏବଂ ଏ ଘରର ଖୁସି ପାଇଁ ଏମିତି ଚିଠି ଲେଖିଥିଲା ସୀତାଂଶୁ ଙ୍କୁ ।କିନ୍ତୁ କେଉଁ ସ୍ତ୍ରୀ ତା ସ୍ବାମୀ ଙ୍କୁ ଅନ୍ୟ କେଉଁ ନାରୀ ହାତରେ ଟେକି ଦେଇ ପାରିବ, କେମିତି ସହିବ ସେ ଅନ୍ୟ ସ୍ତ୍ରୀ ର ଉପସ୍ଥିତିକୁ ତା ସ୍ବାମୀ ଙ୍କ ସହ ?? ସେଦିନ ରାତିରେ ସବୁ କାମ ସାରି ସ୍ନେହା ନିଜ ମନକୁ କୋଠର କରି ସୀତାଂଶୁ ଙ୍କ ପାଖରେ ବସି ଧୈର୍ଯ୍ଯ ର ସହ ସସ୍ନେହେ ସୀତାଂଶୁ ଙ୍କ ହାତ ଧରି ତାଙ୍କୁ ବିବାହ ପାଇଁ ଅନୁରୋଧ କରିଥିଲା ।କହି ସାରିବା ପରେ ସେ ଆଉ ନିଜ କୁ ସମ୍ଭାଳି ପାରିଲା ନାହିଁ ।ସେ ସୀତାଂଶୁ ଙ୍କୁ ଜୋରରେ ଜାବୁଡି ଧରି ତାଙ୍କ ଛାତି ରେ ମୁଣ୍ଡ ରଖି ସେତେ ଦିନ ର ଥିବା କୋହ କୁ ଲୁହ ଆକାର ରେ ଝରେଇ ଚାଲିଲା ।ସୀତାଂଶୁ ସ୍ନେହା ର ଏପରି ଅବସ୍ଥା ଦେଖି ତାଙ୍କ ଅକୁହା ଅସହ୍ୟ କଷ୍ଟ କୁ ନିଗାଡି ଦେଇଥିଲେ ସ୍ନେହା ସହିତ 😭😭।ଦୁହେଁ ଦୁହିଁଙ୍କ ବାହୁ ବନ୍ଧନ ଭିତରେ ତାଙ୍କ ଅଦୃଶ୍ୟ ଛାତି ଫଟା କଷ୍ଟ କୁ ଭୁଲିବାକୁ ଚେଷ୍ଟା କରୁଥିଲେ ।ସୀତାଂଶୁ ଙ୍କୁ ଛୋଟ ଛୁଆ ଙ୍କ ଭଳି କାନ୍ଦିବାର ଦେଖି ସ୍ନେହା ନିଜ କୁ ଦୃଢ କରିଲା ଏବଂ ତାକୁ ଡିଭର୍ସ ଦେଇ ପୁଣି ଥରେ ବିବାହ କରିବା ପାଇଁ ବାଧ୍ୟ କରିଥିଲା ।ସୀତାଂଶୁ କିଛି ସମୟ ମନେ ମନେ କଣ ଚିନ୍ତା କରି ସ୍ନେହା ର କଥା ରେ ରାଜି ହୋଇଯାଇଥିଲେ । ସ୍ନେହା ସୀତାଂଶୁ ଙ୍କ ନିଷ୍ପତ୍ତି ରେ ଖୁସି ହେଲା କିନ୍ତୁ ତା ହୃଦୟ ଖଣ୍ଡ ବିଖଣ୍ଡିତ ହୋଇଯାଉଥିଲା ତା ସୀତାଂଶୁ ଙ୍କୁ ହରେଇବା ଭୟରେ ।ସେ ରାତି କେବଳ ନୀରବ ରେ କାନ୍ଦି କାନ୍ଦି ତକିଆ କୁ ଓଦା କରିଦେଲା ।ସେ କେମିତି ବଂଚିବ ତା ସୀତାଂଶୁ ଙ୍କ ବିନା, କେମିତି ସହିବ ଅନ୍ୟ କେଉଁ ନାରୀ କୁ ସୀତାଂଶୁ ଙ୍କ ସ୍ତ୍ରୀ ହିସାବରେ, କେମିତି କେମିତି ????? ସ୍ନେହା ଓ ସୀତାଂଶୁ ଙ୍କ ମଧ୍ୟରେଥିବା ଅତୁଟ ଭଲ ପାଇବା ଧୀରେ ଧୀରେ ଭାଙ୍ଗିବାକୁ ଲାଗିଥିଲା ।ତାଙ୍କ ସଂପର୍କର ମଜଭୁତ ଡୋର ହୁଗୁଳା ହୋଇ ଯାଉଥିଲା ଦିନକୁ ଦିନ । ଗୋଟିଏ ମାସ ବିତିଗଲା ।ସ୍ନେହା କ୍ୟାଲେଣ୍ଡର୍ ରେ ତାରିଖ ଦେଖି ବହୁତ କାନ୍ଦିଲା ।ଆଜି ତାର ଜନ୍ମଦିନ ।ସୀତାଂଶୁ ଙ୍କର ମନେ ନାହିଁ ।ତା ଶାଶୁ ଶଶୁର ଙ୍କର ମଧ୍ୟ ମନେ ନାହିଁ ।ଗତ ବର୍ଷ ଜନ୍ମଦିନ ରେ ସୀତାଂଶୁ ସ୍ନେହା ତାକୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ ତା ସହ ଗୋଟିଏ ସୁନ୍ଦର ମୁଦି ତା ହାତରେ ଖୁବ୍ ସ୍ନେହ ର ସହ ପିନ୍ଧାଇ ଦେଇଥିଲେ ।ତା ଶାଶୁ ତା ପାଇଁ ମନ୍ଦିରକୁ ଯାଇ ପୂଜା କରିଥିଲେ ଏବଂ ତା ପାଇଁ ତା ମନ ପସନ୍ଦର ଖାଦ୍ୟ ନିଜ ହାତରେ ତିଆରି କରି ତାକୁ ଖୁଆଇ ଦେଇଥିଲେ ।ତା ଶଶୁର ତା ପାଇଁ ତା ମନ ପସନ୍ଦ ରଂଗ ର ଗୋଟିଏ ସୁନ୍ଦର ଶାଢୀ ଆଣି ଦେଇଥିଲେ ।କିନ୍ତୁ ଏ ସମୟ କେମିତି କା ଖେଳ ଖେଳି ଦେଲା ତା ସହ ଆଜି ତାକୁ କେହି ବି ଭଲ ପାଉ ନାହାଁନ୍ତି । ଦିନ ଯାଇ ସଂଧ୍ୟା ହେଲା ।ସ୍ନେହା କୁ କେହି ମଧ୍ୟ ଶୁଭେଚ୍ଛା ଜଣାଇଲେ ନାହିଁ ।ସ୍ନେହା ଆଉ ସମ୍ଭାଳି ନ ପାରି ବିଛଣାରେ ଗଡି ପଡି ଜୋର୍ ରେ କାନ୍ଦିବା କୁ ଲାଗିଲା ।ସେ ନିଜ କୁ ନିଜେ କହିଲା, ମୁଁ ମାଆ ନ ହୋଇ ପାରିଲେ ମୋର ଦୋଷ କ'ଣ ? ଜଣେ ନାରୀ ମାଆ ନ ହୋଇ ପାରିଲେ କଣ ତାର ଶାନ୍ତି ରେ ବଂଚିବାର ଅଧିକାର ନାହିଁ ? ମାଆ ନ ହୋଇ ପାରିଲେ କଣ ଏତେ କଷ୍ଟ ସହିବାକୁ ପଡିବ ଜଣେ ନାରୀ କୁ ????ସମାଜରେ ତାକୁ କଣ ଅଭିଶପ୍ତ ନାରୀ ର ପଦ ବାଚ୍ୟ ମିଳିବ ??? କିନ୍ତୁ ଉତ୍ତର ତାକୁ ମିଳୁ ନ ଥିଲା ।ଠିକ୍ ସେତିକିବେଳେ ସୀତାଂଶୁ ସ୍ନେହା କୁ ଡାକିଲେ ।ସ୍ନେହା ନିଜ କୁ ସଜାଡି ନେଇ ସୀତାଂଶୁ ଙ୍କ ପାଖକୁ ଗଲା । ସୀତାଂଶୁ, ତା ଶାଶୁ, ତା ଶଶୁର ଆଜି ବହୁତ ଖୁସି ଥଲା ଭଳି ଲାଗୁଥିଲେ ।ହଠାତ୍ ସ୍ନେହା ସୀତାଂଶୁ ଙ୍କ ହାତରେ ଏକ ଲଫାପା ଦେଖି ଜାଣିଗଲା ଯେ ସୀତାଂଶୁ ଆଜି ଡିଭର୍ସ ପେପର୍ ସାଙ୍ଗରେ ନେଇ ଆସିଛନ୍ତି ସ୍ନେହା ର ଦସ୍ତଖତ ପାଇଁ ,ସେଥିପାଇଁ ଆଜି ସମସ୍ତେ ଏତେ ଖୁସି ଅଛନ୍ତି ।ସ୍ନେହା ଡିଭର୍ସ ପେପର୍ ଦେଖି ଭାବିଲା ଆଜି ତା ଜନ୍ମଦିନ ରେ ଏମିତି ଏକ ଉପହାର ମିଳିବ ଯାହା ତାର ଶେଷ ନିଶ୍ବାସ ରହିଥିବା ଯାଏଁ ମନେ ରହିବ ।ସେ ଭିତରୁ ଭିତରୁ ପୁରା ଭାଙ୍ଗି ପଡିଲା । ସୀତାଂଶୁ ଧୀରେ ଧୀରେ ସ୍ନେହା ପାଖକୁ ଯାଇ ତା ହାତ ଧରି ସ୍ନେହ ର ସହ ଲଫାପା ଟିକୁ ତା ହାତରେ ଧରାଇ ଦେଲେ ।ସ୍ନେହା ଥରିଲା ଥରିଲା ହାତରେ ସେ ଲଫାପା ଟିକୁ ଧରିଲା କିନ୍ତୁ ଖୋଲିବାକୁ ତାର ଆଉ ଧୈର୍ଯ୍ଯ କି ସାହସ ନ ଥିଲା ।ଏ କେମିତି କା ପରୀକ୍ଷା ନେଉଛନ୍ତି ଭଗବାନ ତାର ।ଗୋଟିଏ ପଟେ ତା ବଂଚିବାର ର ସାହାରା ଏବଂ ଅନ୍ୟ ପଟେ ତା ସ୍ବାମୀ ଙ୍କର ଭବିଷ୍ୟତ ।ସେ ନିଜ କୁ ଟାଣ କରି ଲଫାପା ଟିକୁ ଖୋଲି ପଢିବାକୁ ଲାଗିଲା ।ସେ ପେପର୍ କୁ ଏକା ନିଶ୍ବାସ ରେ ପଢି ସାରି ହସିବ କି କାନ୍ଦିବ ଜାଣି ପାରିଲା ନାହିଁ ।ସେ ବିଶ୍ୱାସ କରିପାରୁ ନ ଥିଲା ସୀତାଂଶୁ ତା ସହ ଏମିତି କରିବେ ବୋଲି ।ତା ଆଖି ର ଲୁହ ଆଉ ବୋଲ ମାନୁ ନ ଥିଲା ।ସେ ସ୍ଥାନ କାଳ ଭୁଲି ଦୌଡି ଯାଇ ସୀତାଂଶୁ ଙ୍କୁ ଜୋରରେ ଜାବୁଡି ଧରି କାନ୍ଦିବା କୁ ଲାଗିଲା ।ସେ ଭୁଲି ଯାଇଥିଲା ଯେ ସେଠି ତା ଶାଶୁ ଶଶୁର ମଧ୍ୟ ଅଛନ୍ତି ବୋଲି ।ସୀତାଂଶୁ ଆଦର ଏବଂ ସ୍ନେହ ର ସହ ତା ମୁଣ୍ଡକୁ ଆଉଁସି ଦେଲେ ।ସ୍ନେହା ପୁଣି ଥରେ ଭଲ ସେ ପେପର୍ କୁ ପଢିଲା, ସେ ପେପର୍ ରେ ବଡ ବଡ ଅକ୍ଷରରେ ଲେଖିଥିଲା, "ପିଲା ର ନାମ- ସ୍ଥିତି ପ୍ରଜ୍ଞା ମହାପାତ୍ର, ମାଆ ଙ୍କ ନାମ-ସ୍ନେହାସ୍ମିତା ମହାପାତ୍ର, ବାପା ଙ୍କ ନାମ- ସୀତାଂଶୁ କୁମାର ମହାପାତ୍ର ।"ଠିକ୍ ଏହି ସମୟ ରେ ଗୋଟିଏ ଛୁଆ ର କୁଆଁ କୁଆଁ କାନ୍ଦ ସ୍ନେହା ର କାନରେ ବାଜିଲା ।ସେ ପଛକୁ ବୁଲି ଦେଖିଲା ତା ଶାଶୁ ଙ୍କ କୋଳରେ ଗୋଟିଏ ମାସ ର ଛୋଟ ଝିଅ ଟିଏ ଶୋଇଛି ।ତା ଶାଶୁ ସ୍ନେହା ପାଖକୁ ଆସି ସ୍ନେହା ର କୋଳରେ ଛୁଆ ଟିକୁ ଧରାଇ ଦେଇ କହିଲେ, "ଆରେ ମାଆ ତୁ କଣ ଭାବିଲୁ ତୋତେ ଆମେ ଏ ଘରୁ ବାହାର କରି ଦେବୁ ବୋଲି ।ଆରେ ତୁ ପରା ମୋର ଝିଅ ।ଭଗବାନ କେଉଁ ନାରୀ ର କୋଳ ଫାଙ୍କା ରଖନ୍ତି ନାହିଁ ।କେବଳ ଏ ସମାଜ ପାଇଁ କେତେ ଦମ୍ପତି ଭୟରେ ଛୁଆ ଏଡପ୍ଟ କରି ପାରନ୍ତି ନାହିଁ ।ଦେଖ୍ ମୋ ନାତୁଣୀ କେତେ ସୁନ୍ଦର ହୋଇଛି ।ତୁମ ମା ବାପା ଦୁଇ ଜଣ ଙ୍କ ପାଖରୁ ମଧ୍ୟ ମୋ ନାତୁଣୀ ସୁନ୍ଦର ।"ସ୍ନେହା ର ଶଶୁର ଆସି ସ୍ନେହା ଓ ଛୁଆ ମୁଣ୍ଡ ରେ ହାତ ବୁଲାଇ ଢେର୍ ସାରା ଆଶୀର୍ବାଦ ଦେଲେ ।ତା ଶାଶୁ ଶଶୁର ନିଜ ରୁମ୍ କୁ ଚାଲିଗଲେ । ସ୍ନେହା ଏ ପର୍ଯ୍ୟନ୍ତ ମଧ୍ୟ କିଛି ବୁଝି ପାରୁ ନଥିଲା ତା ସହ କଣ ହେଉଛି ? ସେ ଆଖି ବଡ ବଡ କରି ସୀତାଂଶୁ ଙ୍କୁ ଅନାଇ ରହିଥିଲା ।ସୀତାଂଶୁ ସ୍ନେହା ପାଖକୁ ଆସି ତା କପାଳ ରେ ଓଠ ଛୁଆଁଇ ସ୍ନେହର ସ୍ପର୍ଶ ଦେଇ କହିଲେ, "ଆରେ ପାଗେଳୀ ମୁଁ ତୁମକୁ ଛାଡି ଆଉ କାହାକୁ ବିବାହ କରିବି ବୋଲି କେମିତି ଭାବି ପାରିଲ ଏ କଥା ।ଆମ ସଂପର୍କ ପରା ଜନ୍ମ ଜନ୍ମ ପାଇଁ ।ତୁମ ସୀତାଂଶୁ ତୁମକୁ କେତେ ଭଲ ପାଏ ତୁମେ ବୁଝି ପାରିବ ନାହିଁ ।ଏ ସୀତାଂଶୁ କେବଳ ତୁମର ।ତୁମେ ମାଆ ହୋଇ ପାରିବ ନାହିଁ ବୋଲି କଣ ମୁଁ ତୁମକୁ ଛାଡି ଦେଇଥାନ୍ତି ?? ତୁମେ ଯାହା ଯେମିତି ସେମିତି ହିଁ ମୁଁ ତୁମକୁ ଭଲ ପାଏ ।କିଏ କହିଲା ତୁମେ ମାଆ ହୋଇ ପାରିବ ନାହିଁ ।ତୁମକୁ ପରା ଝିଅ ପସନ୍ଦ ଓ ତା ନାମ ତୁମେ ସ୍ଥିତି ଦେବ ବୋଲି କହୁଥିଲ ।ଏହି ଦେଖ ସ୍ଥିତି କୁ, ଏ ପରା ଆମ ଝିଅ ।ଆରେ ଏ ଲୋକ ମାନଙ୍କ ର କଣ ଅଛି ସେମାନେ ଖାଲି କହିବା ଶିଖିଛନ୍ତି ହେଲେ କାହାର ଦୁଃଖ ବୁଝିବା ଜାଣି ନାହାଁନ୍ତି ।ଆଜି ଠାରୁ ତୁମକୁ ଆଉ କେହି ବି ଅଭିଶପ୍ତ ନାରୀ ର ଆଖ୍ୟା ଦେବେ ନାହିଁ ।ହୁଏତ ତୁମେ ଦେବକୀ ହୋଇ ପାରିଲ ନାହିଁ କିନ୍ତୁ ଯୋଶଦା ତ ହୋଇ ପାରିବ ।କୁହନ୍ତି ଜନ୍ମ କରିବା ମାଆ ପାଖରୁ ପାଳିତ ମାଆ ବଡ ବୋଲି ।ଏ ଛୁଆ ସିନା ଏଡପ୍ଟ କରିଛୁ କିନ୍ତୁ ଆମେ ମଧ୍ୟ ସ୍ଥିତି ର ଆଦର୍ଶ ବାପା ମାଆ ହୋଇ ଦେଖାଇ ଦେବା ଏ ଦୁନିଆକୁ, ଏଠି କେହି ନାରୀ ଓ ପୁରୁଷ ନିଃସନ୍ତାନ ନୁହଁନ୍ତି ।ତୁମକୁ ମୁଁ ମୋ ହୃଦୟରୁ ଭଲ ପାଏ ।ଆମ ଭଲ ପାଇବା ଦେହର ନୁହେଁ ମନର ସଂପର୍କ ।ଆଉ ଯେଉଁଠି ମନର ସଂପର୍କ ରହିଥାଏ ସେଠି କେବେ ବି ସଂପର୍କ ର ଅନ୍ତ ନ ଥାଏ, ତାହା ଚିରସ୍ଥାୟୀ ହୋଇ ହୃଦୟରେ ଚକ୍ ଚକ୍ କରୁଥାଏ ହୀରା ପରି ।ସ୍ନେହା ଦେହ ର ସଂପର୍କ ଅପେକ୍ଷା ମନର ସଂପର୍କ ହେଉଛି ସବୁଠାରୁ ମଜଭୁତ ଏବଂ ଦୀର୍ଘସ୍ଥାୟୀ ।ଆଉ ମୋ ପାଗେଳୀ ଙ୍କ ସହ ମୋର ହେଉଛି ମନର ସଂପର୍କ ❤।" ସ୍ନେହା ପାଇଁ ଏହା ଠାରୁ ବଡ ଆଉ କଣ ଉପହାର ହୋଇ ପାରେ ।ସେ ସୀତାଂଶୁ ଓ ସ୍ଥିତି କୁ କୋଳେଇ ନେଇ କହିଲା, "ହଁ ଆମ ମାନଙ୍କର ସଂପର୍କ ହେଉଛି ମନର ସଂପର୍କ🤗🤗 । ଏ ସମ୍ପର୍କ ହୃଦୟର ❤❤❤"

ରଚନା : ସଂଯୁକ୍ତା ପୃଷ୍ଟି

ଠିକଣା : ବାରିପଦା


Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

+918328951229

Subscribe Form

Thanks for submitting!

  • Instagram

©2021 by Malhar E-magazine.

bottom of page