ସ୍ୱରୂପା
- ନମିତା ବରାଳ

- Sep 7
- 1 min read
ଦେଖିଛି ମୁଁ ମୋ ବୋଉ ର ଲୁହକୁ
ହାଣ୍ଡିଶାଳ ଘରେ ବସି,
ଫୁଙ୍କୁନଳା ଧରି ଚୁଲିଫୁଙ୍କୁ ଥାଏ
ଲୁହ କୁ କାନିରେ ପୋଛି।।
ପଚାରିଛି ଯେବେ ଲୁହର କାରଣ
କହେନାହିଁ ସିଏ କିଛି,
ଓଦା ଆଖି ତାର ଓଠ ଚିପା କାନ୍ଦ
କହୁଥାଏ କିଛି କିଛି।।
ଦୁହିତା କୁଆଡ଼େ ଦୁଇ କୂଳ ହିତା
ବାରମ୍ଵାର ମତେ କହେ,
ବାପଘର ଠାରୁ ଶାଶୁଘର ଯାଏଁ
ସବୁକିଛି ସହିଯାଏ।।
ଚଉରା ପୂଜା ଠୁ ଅଇଁଠା ଗୋଟିଆ
ସବୁକାମ ସିଏ କରେ,
କାହିଁକି କେଜାଣି ସେ ଖାଇଲା ବେଳକୁ
ଖାଲି ଲୁଣ ଲଙ୍କା ଥାଳିଆ ରେ।।
ରବିବାର ହେଲେ ସମସ୍ତ ଙ୍କ ଛୁଟି
ସିଏ କିନ୍ତୁ କରେ କାମ ,
ବୁଝି ମୁଁ ପାରେନି ତା ସପ୍ତାହ ରେ
ବୋଧ ରବିବାର ନାହିଁ ନାମ।।
ଆଗେ ଉଠେ ପୁଣି ପଛେ ସିଏ ଶୁଏ
ଏ କି ପ୍ରଣାଳୀ ତାର
ତା ଦେହ ବୋଧେ ପଥର ରେ ଗଢା
ମୁଁ ଭାବୁଥାଏ ବାରମ୍ବାର।।
ବୋଉ ମତେ କୁହେ ନାରୀ ଜୀବନ ଟା
ନରକ ସଦୃଶ୍ୟ ପରି,
ପାଦେ ପାଦେ ଏଠି କଳଙ୍କର କଣ୍ଟା
ଦେଖିକି ହୋଇବୁ ପାରି।।
ପ୍ରତିମାସେ ଥରେ ସପ୍ତାହ ଟା ଯାଏଁ
ଦଇବ କପଟ କରେ,
ମନ୍ଦିର ଯିବନି କିଛି ଛୁଇଁବନି
ଏ ନାରୀ ଅପବିତ୍ର କୁଆଡ଼େ।।
ବୋଉ କଥା ଶୁଣି ମତେ ଲାଗେ ଡର
କିନ୍ତୁ ସତର୍କ ସିଏ କରଇ,
ନାରୀ ଜୀବନ ର ରାଶି ରାଶି କଷ୍ଟ
ତା ପ୍ରତି ଅଙ୍ଗେ ମୁଁ ଦେଖଇ।।
ତାକୁ ଦେଖି ଲାଗେ ଫୁଟିଲା ଫୁଲଟା
କଢ଼ରୁ ଯାଇଛି ମରି,
ମତେ କିନ୍ତୁ ସିଏ ଫୁଟିବାକୁ ଦିଏ
ମୋ ଚାରିପାଖରେ ବାସ୍ନା ଭରି।।
ନାମ : ନମିତା ବରାଳ
ଠିକଣା : କାଶିପୁର, ଖୋର୍ଦ୍ଧା







Comments