ମୁଁ ଆଉ ଅଝଟ ହେଉନି।
- ନମିତା ବରାଳ

- May 14
- 1 min read
ମୁଁ ଆଉ ଅଝଟ ହେଉନି
ସ୍କୁଲ ବସ୍ତାନି ଧରି
ଦୁଇ ଟଙ୍କା ପାଇଁ,
ମୁଁ ଆଉ ଅଝଟ ହେଉନି
ସେଇ ଗାଁ ପିଲାଙ୍କ ସହ
ବିଷ ଅମୃତ ଚୋର ପୋଲିସ
ଖେଳିବା ପାଇଁ।।
ମୁଁ ଆଉ ଋଷି କାନ୍ଦୁନି
ଖେଳରେ ଚୋର ହେଇଗଲେ।
ମୋ ଗୋଡ଼ ବି ଆଉ କାଟୁନି
ଆମ୍ବ ଟାକୁଆ ର ସେ
କିତି କିତି ଖେଳ ରେ।।
ମୁଁ ଆଉ ଲୁଚୁନି ସେ ଦ୍ଵିପ୍ରହର
ଆମ୍ବ,କଇଁଆ,ବରକୋଳି
ଚୋରି କରିବାରେ।।
ମୁଁ ଆଉ ଅଝଟ ହେଉନି
ଟିୟୁସନ୍ ଯିବା ପାଇଁ
ପଣିକିଆ ଡରରେ,
ମୁଁ ଆଉ ଅଝଟ ହେଉନି
ଖାତା ଚିରି ବର୍ଷା ରେ
କାଗଜ ଡ଼ଙ୍ଗା ଭସାଇବା ରେ।।
ମୁଁ ଆଉ କାନ୍ଦୁନି
ଗାଁ କୁ ଆଇସ୍ କ୍ରିମ୍ ବିକା ଆସିଲେ।
ମୁଁ ଆଉ ଖେଳୁନି
ବାଟି,ନଟୁ, ଲଙ୍କାମ୍ବ ମଞ୍ଜି
ପିଲାଙ୍କ ମେଳରେ।।
ମୁଁ ଆଉ ଦେଖୁନି
ରବିବାର ସନ୍ଧ୍ୟାରେ ସେ ଦୂରଦର୍ଶନ।
ମୁଁ ଆଉ ଜିଦି କରୁନି
ସବୁ ପର୍ବରେ ନୂଆ ଜାମା ପାଇଁ।
ମୁଁ ଆଉ କାନ୍ଦୁନି
ଦଶହରା ଛୁଟି ରେ ମାମୁଁ ଘର ଯିବାପାଇଁ।
ମୁଁ ଆଉ ତିଆରି କରୁନି
ମାଟିର ସେଇ ଚୁଲି,ମାଠିଆ,କଡ଼େଇ,ଶିଳ।
ମୁଁ ଆଉ ରାନ୍ଧୁନି
ଗୋଡ଼ି ବାଲି ର ସେଇ
ଭାତ,ଡାଲି, ତରକାରୀ ଝୋଳ।।
ମୁଁ ଆଉ ସଜ ହେଉନି
ଗାମୁଛା ପିନ୍ଧି ସେ ବୋହୂ ହେଇ।
ମୁଁ ଆଉ ଘର ତୋଳୁନି
ସେ ପାଳଗଦା ର ପଛପଟେ ଯାଇ।।
ମୁଁ ଆଉ ତାଳପତ୍ର ର
ହାତ ଘଣ୍ଟା ତିଆରି କରୁନି।
ମୁଁ ଆଉ ନଡ଼ିଆ ବାହାଙ୍ଗାର
ପତ୍ର ରେ ବସି ଘୋଷାରି ହଉନି।।
ମୁଁ ଆଉ ବର୍ଣ୍ଣବୋଧ ବହି ପଢୁନି
କି ମୋ ହସ୍ତାକ୍ଷର ରେ
ରାମ ଆଉ ଭଲ ପିଲା ହଉନି।।
ମୋ ମୁଣ୍ଡରେ ସେ କଳା ଟିପା
ଆଉ ଶୋଭା ପାଉନି।
ମୁଁ ନଖାଇଲେ ସେ ଜହ୍ନ
ଆଉ ମୋ ମାମୁଁ ହଉନି।।
କି ମୁଁ ଆଉ ଅଝଟ ହେଉନି।


Comments