ତ୍ରିରଙ୍ଗା
- ରଞ୍ଜନ ଗୌଡ଼
- May 14
- 1 min read
ସବୁଠୁ ସୁନ୍ଦର ପତାକା ମୋର
ତ୍ରିରଙ୍ଗା ଅଟଇ ନାମଟି ତାର ।
ଲମ୍ବ ଓସାର ତା ତିନି କି ଦୁଇ
ତା ଠାରୁ ସୁନ୍ଦର ଆଉ କେ ନାଇଁ ।
ତିନି ରଙ୍ଗେ ଗଢ଼ା ତନୁ ତାହାର
ମଧ୍ୟେ ଚକ୍ର ଆହା କି ମନୋହର ।
ଉପରି ଭାଗରେ ରଙ୍ଗ କେଶରୀ
ବୀରତ୍ଵର ଗାଥା ରଖିଛି ଧରି ।
ମଧ୍ୟେ ଧଳା ରଙ୍ଗ ବିଶେଷ ଜାଣ
ପ୍ରତୀକ ସେ ସତ୍ୟ ଶାନ୍ତିର ପୁଣ ।
ସବୁଜ ପ୍ରଗତି ପ୍ରତୀକ ହୋଈ
ନିମ୍ନ ଅଂସେ ଥାଏ ଶୋଭା ବଢ଼ାଇ ।
ଅଶୋକ ଚକ୍ରର ରଙ୍ଗଟି ନୀଳ
ସଭିଙ୍କ ମନେ ସେ ଦିଅଇ ବଳ ।
ତା ମଧ୍ୟେ ରହିଛି ଚବିଶ ଅଖ
ନ୍ୟାୟ, ଧର୍ମ, ଗତି ତାଠାରୁ ଶିଖ ।
ଶୁଣିଲ ତ ତାର ଗଢ଼ଣ କଥା
ଏବେ ଶୁଣ ସେଇ ପତାକା ବ୍ୟଥା ।
ପରାଧୀନ ଥିଲା ଭାରତ ଯେବେ
ଆବିର୍ଭାବ ହେଲା ତାହାର ଭବେ ।
ଗର୍ବ ଗଉରବ ଜାତିର ହେଲା
ଭାରତ ବର୍ଷକୁ ଏକାଠି କଲା ।
ଲକ୍ଷେ ପ୍ରାଣେ ଦେଲା ସ୍ଵାଧୀନ ଚିନ୍ତା
ଗୋରା ବାବୁଙ୍କର ବଢିଲା ଚିନ୍ତା ।
କରିବାକୁ ତାର ସମ୍ମାନ ନଷ୍ଟ
ଅନେକ ଚକ୍ରାନ୍ତ ରଚିଲେ ଦୁଷ୍ଟ ।
ଭାରତ ମାଆର ସୁପୁତ୍ର ଗଣ
କେମିତି ରଖିଲେ ସମ୍ମାନ ଶୁଣ ।
ଗୋରା ବନ୍ଧୁକରୁ ବଞ୍ଚିବା ପାଇଁ
ପତାକା କୁ ତଳେ ଥୋଇଲେ ନାହିଁ ।
ବନ୍ଦେ ମାତରମ୍ ଗାନ କୁ ଗାଇ
ଗୁଳି ଆଗେ ଦେଲେ ଛାତି ମେଣ୍ଢେଇ ।
ପ୍ରାଣକୁ ଉତ୍ସର୍ଗ କରିଣ ସର୍ବେ
ତାପାଇଁ ଫାଶିରେ ଚଢିଲେ ଗର୍ବେ ।
ଭଗତ ନେହୁର ସୁବାଷ ଗାନ୍ଧୀ
ତ୍ରିରଙ୍ଗା ସମ୍ମାନେ ହୋଇଲେ ବନ୍ଦୀ ।
ଏସବୁ ତ ଥିଲା ନେତାଙ୍କ କଥା
ଏବେ ଶୁଣ ଟିକେ ଜନତା ବ୍ୟଥା
ଶୋଷିତ ବଞ୍ଚିତ ଲାଞ୍ଛିତ ଯେତେ
ତ୍ରିରଙ୍ଗା ପତାକା ଧରିଣ ହସ୍ତେ ।
ଗୋରା ବାବୁଙ୍କୁ ସେ ବିରୋଧ କଲେ
ଫଉଜ ଲାଠିରେ ଜିବନ ଦେଲେ ।
ବଳିଦାନ କେତେ ଦେଖିଛି ସିଏ
ଆଜିବି ସେ କଥା ଗର୍ବରେ କହେ ।
ପିଲା ଠାରୁ ବୁଢ଼ା ଏକାଠି ହୁଅ
ମୋ ସାଥିରେ ମିଶି ଶପଥ ନିଅ ।
ତ୍ରିରଙ୍ଗା ଅଟଇ ଆମ ସମ୍ମାନ
ଆଜିବନ ତାର ରଖିବା ମାନ ।


Comments